ଓଡିଶାରେ ଶିଶୁ ମୃତ୍ୟୁ
ମାଲକାନଗିରିରେ ୯ ବର୍ଷରେ ଗଲାଣି ୪୮୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ଜୀବନ
3-2-2024
ବାଲିମେଳା: ଅତୀତରେ ଉପାନ୍ତ ଜିଲ୍ଲାର ଆଖ୍ୟା ପାଇଥିବା ମାଲକାନଗିରି ଜିଲ୍ଲାରେ ଏବେ ବିକାଶ ଧାରା ଜାରି ରହିଛି । ଅନେକାଂଶରେ ମାଲକାନଗିରି ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ରହିଥିବା କୁହାଯାଉଛି । ତେବେ କଥାରେ ଅଛି ଆଜିର ଶିଶୁ କାଲି ଦେଶର ଭବିଷ୍ୟତ । ସର୍ବଦା ନବଜାତ ଶିଶୁକୁ ଆମେ ଗୁରୁତ୍ୱ ଦେଇ ଆସୁଥିବା ବେଳେ କିନ୍ତୁ ମାଲକାନଗିରି ଜିଲ୍ଲାରେ ନବଜାତ ଶିଶୁ ଅସୁରକ୍ଷିତ ଥିବା ଅନୁମେୟ ହେଉଛି । ବିଭିନ୍ନ ମୌଳିକ ଅଧିକାର ଭଳି ଆମ ଦେଶରେ ସ୍ୱାସ୍ଥ୍ୟସେବା ମଧ୍ୟ ଏକ ମୌଳିକ ଅଧିକାର । ଯାହା ସୁଲଭ ମୂଲ୍ୟରେ ସମସ୍ତ ନାଗରିକଙ୍କୁ ଯୋଗାଇବା ସରକାରଙ୍କ ଉତ୍ତରଦାୟିତ୍ୱ । ହେଲେ ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷାକୁ ନେଇ ଉଠୁଛି ଏବେ ଅନେକ ପ୍ରଶ୍ନ । ମାଲକାନଗିରି ଜିଲ୍ଲାରେ ୧୫୮ ଟା ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ କେବଳ କାଲିମେଳା ସିଏଚସି ଅଧିନରେ ୩୨ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ତା ମଧ୍ୟରୁ ଆଲରକୋଟା, ଅନନ୍ତପାଲି , ଭେଜାଙ୍ଗୀୱାଡା, ଗମ୍ପାକୋଣ୍ଡା , ଗିରିକନପାଲି, ଗୁମୁକା , ଜାକଲକୁଣ୍ଡି , କୋଇମେଟଲା , କାଲିମେଳା , କୋଶଲକୁଣ୍ଡା ଭଳି ଉପ ସ୍ୱାସ୍ଥ୍ୟକେନ୍ଦ୍ରରରେ ଶିଶୁ ମୃତ୍ୟୁହାର କାହିଁକି ବୃଦ୍ଧି ପାଉଛି ତାହାର ଉତ୍ତର କାହାରି ପାଖରେ ନଥିଲା ଭଳି ଜଣାପଡ଼ୁଛି । ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ବିଗତ ଦିନରେ ଶିଶୁ ମୃତ୍ୟୁହାର ବଢିଥିଲା । ଏବେ ମୃତ୍ୟୁ ହାର କମିଛି ଏବଂ ସେଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟ କରାଯାଉଛି । ବିଶେଷ କରି ନିମୋନିଆ, ଗର୍ଭ ଜନିତ ଅସୁବିଧା ସମ୍ପର୍କରେ ଜୋରଦାର ସଚେତନତା କରାଯାଉଛି । ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ କର୍ମଶାଳା କରାଯିବା ସହ ଗାଁ ଗାଁ ବୁଲି ପିଲା ଜନ୍ମର ଏକ ମାସ ପର୍ଯ୍ୟନ୍ତ ଶିଶୁକୁ ନ ଗାଧୋଇବା ପାଇଁ କୁହାଯାଉଛି । କାଲିମେଳା ଏବଂ ଚିତ୍ରକୋଣ୍ଡା ସିଏଚସିରେ ଶିଶୁ ବିଶେଷଜ୍ଞ ପାଇଁ ପ୍ରତି ବର୍ଷ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଲେଖାଯାଉଛି ବୋଲି କହିଥିଲେ । ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନା କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟ କରି ମାଲକାନଗିରି ଜିଲ୍ଲାରେ ସାତ ମହଲା ବିଶିଷ୍ଟ ଡ଼ାକ୍ତରଖାନା ନିର୍ମାଣ ସହ ନାମିଦାମୀ ଯନ୍ତ୍ରପାତି ଯୋଗାଇ ଦେଇଛନ୍ତି । ତଥାପି ଜିଲ୍ଲାରେ ଶିଶୁ ମୃତ୍ୟୁହାର ଥମିବାର ନାଁ ଧରୁନାହିଁ । ସରକାର ଚାହିଁଲେ କାଲିମେଳା ସିଏଚସିରେ ଗୋଟିଏ ଶିଶୁ ବିଶେଷଜ୍ଞ ଦେଇପାରନ୍ତେ କିନ୍ତୁ କାଲିମେଳା ଭଳି ଉପାନ୍ତ ଅଞ୍ଚଳକୁ ଦୃଷ୍ଟି ଦେବ କିଏ ତାହାହିଁ ବଡ଼ ପ୍ରଶ୍ନ । ଯଦି ଦେଖିବା ୨୦୨୨- ୨୩ ମୃତ୍ୟୁହାର ସର୍ବାଧିକ ରହିଥିଲା । କିନ୍ତୁ ଯଦି ପାରାଗ୍ରାଫ୍ ଦେଖିବା ତେବେ ସର୍ବଦା ପାଲେରୁ , ତେଲରାଇ , ଭେଙ୍କଟପାଲାମ, ମୁଦାଖାଲ ଭଳି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଅଞ୍ଚଳରେ ଅଧିକ ଶିଶୁ ମୃତ୍ୟୁହାର ହେଉଛି ବୋଲି ଅଭିଯୋଗ ହେଉଛି । ବିଗତ ୯ ବର୍ଷରେ ପାଖାପାଖି ୫ ହଜାରରୁ ଊର୍ଦ୍ଧ୍ୱ ଶିଶୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ ଆରଟଟିଆଇ ତଥ୍ୟ ଅନୁଯାୟୀ ୨୦୧୪ ରୁ ୨୦୧୯ ମଧ୍ୟରେ ୪୮୦୦ ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୦୧୪ ଜନ ଗଣନାରୁ ଜଣାପଡିଛି କି ଜିଲ୍ଲାର ଜନ ସଂଖ୍ୟା ୬ ଲକ୍ଷ ୪୦ ହଜାରରୁ ଅଧିକ । ଯେଉଁଥିରେ ୫ ବର୍ଷରୁ କମ ବୟସର ଶିଶୁ ୮୦ ରୁ ଅଧିକ ଅଛନ୍ତି । ସେହିପରି ୨୦୧୬ ସେପ୍େଟମ୍ବର ରୁ ଡିସେମ୍ବର ମାସ ମଧ୍ୟରେ ୧୦୦ ରୁ ଉର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଜାପାନିଜ ଏନସେଫେଲାଇଟ୍ସ ଏବଂ ଆକ୍ୟୁଟ ଏନସେଫେଲାଇଟ୍ସ ସିଣ୍ଡ୍ରୋମ ହୋଇଥିଲା । ବିଗତ ବର୍ଷରେ ମଧ୍ୟ ଶିଶୁ ମୃତ୍ୟୁ ହାର ଅଧିକ ରହିଛି । ତେବେ ସାରା ଭାରତରେ ଆଇଏମଆର (ପ୍ରତି ୧ ହଜାର ଜନ୍ମରେ ୧ ବର୍ଷରୁ କମ୍ ବୟସ ଶିଶୁ ମୃତ୍ୟୁହାର ୩୨ ଥିବା ବେଳେ ଓଡ଼ିଶାରେ ମୃତ୍ୟୁହାର ୪୧ ରହିଛି କିନ୍ତୁ ମାଲକାନଗିରିରେ ବର୍ଷେରୁ କମ୍ ଶିଶୁଙ୍କ ମୃତ୍ୟୁ ୫୦ ରହିଛି । ଯାହା ଯଥେଷ୍ଟ ଅଧିକ । ଏକ ଆରଟଟିଆଇ ତଥ୍ୟରୁ ପ୍ରକାଶ ଯେ ଏହି ମୃତ୍ୟୁ ହାର କେବଳ କୁପୋଷଣ ହିଁ ଇଙ୍ଗିତ କରୁଛି । ସେହିପରି ଅନ୍ୟ ମୁଖ୍ୟ କାରଣ ମଧ୍ୟରେ ଡାଇରିଆ, ମେଲେରିଆ, ନିମୋନିଆ ସହ ମାଲକାନଗିରି ଜିଲ୍ଲାରେ ଆହାର ସମ୍ବନ୍ଧିତ ବିକାର ଯେମିତି କୁପୋଷଣ ସମ୍ପର୍କିତ ରୋଗ । ୨୦୧୬/ ୧୭ରେ ମୃତ୍ୟୁ ସଂଖ୍ୟା ବଢ଼ି ୧୦୭୪ରେ ପହଁଞ୍ଚିଥିଲା । ୨୦୧୬/୧୭ରେ ଦେଇ/ ଏଇଏସ ପାଇଁ ୧୦୦ରୁ ଅଧିକ ଶିଶୁ ମୃତ୍ୟୁ ହୋଇଥିଲା । ୨୦୧୫/୧୬ରେ ଏହା ୯୯୩ ରହିଥିଲା । ଯେଉଁଠି ରାଜ୍ୟ ସରକାର ୨୦୧୪ ରୁ ୨୦୧୯ ମଧ୍ୟରେ ଶିଶୁ ମୃତ୍ୟୁହାର କମାଇବା ପାଇଁ ୧ କୋଟିରୁ ଉର୍ଦ୍ଧ୍ୱ ଏବଂ କୁପୋଷଣ ରୋକିବା ପାଇଁ ୧.୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଗମ୍ଭୀର କୁପୋଷଣ ଯୁକ୍ତ ଶିଶୁଙ୍କ ପାଇଁ ବିଭିନ୍ନ ସଂସ୍ଥାଗତ ସେବା ଯୋଗାଇ ଦିଆଯାଇଛି । ଅପରପକ୍ଷରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ କହିବାନୁଯାୟୀ ମାଲକାନଗିରି ଜିଲ୍ଲାରେ ଶିଶୁ ମୃତ୍ୟୁ ହାର କମିଛି ।୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ହାର ୨୦୦୫/୬ ୯୦.୬ ଥିବା ବେଳେ ୨୦୧୭ରେ ତାହା ୪୭କୁ ଖସି ଆସିଛି କିନ୍ତୁ ୨୦୧୪ ବାର୍ଷିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲାରେ ପ୍ରତି ୧୦ ମଧ୍ୟରୁ ୭ ଶିଶୁ କମ୍ ଓଜନର ଥିଲେ ।୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ କୁପୋଷଣ ଥିବା ଶହେ ଜିଲ୍ଲାରେ ମାଲକାନଗିରି ଜିଲ୍ଲା ତୃତୀୟ ସ୍ଥାନରେ ରହିଛି । ମାଲକାନଗିରି ଜିଲ୍ଲାର ଶିଶୁ ମୃତ୍ୟୁ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଚିତ୍ର ସାମ୍ନାକୁ ଆସିଲା ପରେ କ’ଣ ଜିଲ୍ଲା ପ୍ରଶାସନ ଜଣେ ଶିଶୁ ବିଶେଷଜ୍ଞ କାଲିମେଳା ସିଏଚ୍ସିରେ ନିୟୋଜିତ କରିବେ କି? ଯଦି ତା ସହିତ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଚେତନତା ବୃଦ୍ଧି କରିବାକୁ ପ୍ରୟାସ କରନ୍ତେ ତେବେ ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳନ୍ତା ନାହିଁ । ଯଦି ଏହା କରାଯାନଯାଏ ତେବେ ଆଗାମୀ ଦିନରେ ଶିଶୁ ମୃତ୍ୟୁ ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଜିଲ୍ଲାବାସୀ ପ୍ରକାଶ କରିଛନ୍ତି ।
Comments
Post a Comment