ମିଳୁନି ପ୍ରୋତ୍ସାହନ, କୌଳିକ ବୃତ୍ତିରୁ ଦୂରେଇଯାଉଛନ୍ତି ଲୋକେ

 


ମିଳୁନି ପ୍ରୋତ୍ସାହନ, କୌଳିକ ବୃତ୍ତିରୁ ଦୂରେଇଯାଉଛନ୍ତି ଲୋକେ

25-12-2023


ଭୁବନେଶ୍ୱର : ଚାହିଦା ଆଉ ଆବଶ୍ୟକତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜଣକୁ ବାଦ୍‌ଦେଇ ଅନ୍ୟର ସ୍ୱରୂପ ଭାବିବା କାଠିକର ପାଠ । ଚାହିଦା ବଢ଼ିଲେ ଆବଶ୍ୟକତା ବଢ଼େ । ତଦନୁଯାୟୀ ଅପର କଥାଟି ମଧ୍ୟ । ସମୟ ଥିଲା ଝିଅ ବିବାହ ଠାରୁ ଆରମ୍ଭ କରି ଘରୋଇ ବ୍ୟବହୃତ ପାତ୍ର ହିସାବରେ କଂସା ଆଉ ପିତ୍ତଳ ସାମଗ୍ରୀ ଆଗରେ ଥିଲା । ସମୟକ୍ରମେ ସେ ସବୁ ହଜିବାକୁ ବସିଲାଣି । ଷ୍ଟିଲ୍ ଏବଂ ପ୍ଲାଷ୍ଟିକ୍‌ର ରାଜୁତିରେ ପିତ୍ତଳ ଆଉ କଂସା ପଥର ପାଲଟିଗଲେ । ଏପରିକି ନଳକୂପରୁ ପାଣି ଭାର ଆଣିବା ଠାରୁ ଆରମ୍ଭ କରି ମନ୍ଦିରରେ ଦେବଦେବୀଙ୍କ ବାସନକୁସନ ପିତ୍ତଳ ଆଉ କଂସାରେ ଥିଲା । ହେଲେ ସମୟକ୍ରମେ ଏ ବେଉସା ଆଜି ହଜିଯିବାକୁ ବସିଛି । କୌଳିକ ବୃତ୍ତି ଆଜି ଉପେକ୍ଷିତ । ବାହାର ରାଜ୍ୟକୁ ରୋଜଗାର କରିବା ଲାଗି ଏ ପିଢ଼ି ଯିବାକୁ ବସିଛି ପଛକେ କୌଳିକ ବୃତ୍ତି ଆଡ଼କୁ ମନ ବଳାଉନାହିଁ । ଭୁବନେଶ୍ୱରର ବାଳକାଟି ଅଞ୍ଚଳରେ ଥିବା ରଥିଜେମା ଗ୍ରାମର ଅଶିଘରସାହିରେ ବସବାସ କରୁଥିବା ଲୋକଙ୍କ କୌଳିକ ବୃତ୍ତି ହେଉଛି କଂସା ଆଉ ପିତ୍ତଳ ବାସନ ଗଢ଼ିବା । ଗଲା ଚାରି ଦଶନ୍ଧି ଧରି ସେ ଏଇଥିରେ ଗୁଜୁରାଣ ମେଣ୍ଟାନ୍ତି । ଏହି କଂସା, ପିତ୍ତଳ ଜିନିଷ ତିଆରି କରୁଥିବା ବୈଷ୍ଣବ ମହାରଣା କୁହନ୍ତି ୨୦ ବର୍ଷ ତଳେ ଯେତେବେଳେ କାଖରେ କଂସାର ଗରା ନେଇ କୂଅରୁ ପାଣି ଆଣିବାକୁ ଘରଣୀମାନେ ଯାଉଥିଲେ ସେ ସମୟରେ ଏସବୁ ଉପକରଣର ଚାହିଦା ଢେର ଥିଲା । ହେଲେ ଧୀରେ ଧୀରେ ସମୟ ଗଡ଼ିଲା ଆଉ ଲୋକଙ୍କ ଚାହିଦାରେ ପରିବର୍ତ୍ତନ ଆସିଲା । ଏବେ ଖାଲି ଡିଜାଇନଯୁକ୍ତ ଫାଇବର ପ୍ଲାଷ୍ଟିକ୍ ଆଉ ଷ୍ଟିଲ୍‌କୁ ଖୋଜୁଛନ୍ତି । ତା’ ଛଡ଼ା ବାହାଘର ବ୍ରତଘରରେ ବି ଏ ସବୁ ବହୁତ ବିକ୍ରି ହୁଏ । ହେଲେ ଲୋକ ଆଜିକାଲି ଆଧୁନିକତାକୁ ଆପଣେଇବା ସାଙ୍ଗକୁ ପରମ୍ପରା ବି ବଦଳେଇଲେଣି । ଏବେର ଯୁବ ପିଢ଼ି ଏ କୌଳିକ ବୃତ୍ତିକୁ ବି ଆପଣେଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଧିକ ପରିଶ୍ରମ ଆଉ କମ୍ ମୂଲ୍ୟ କାରଣରୁ ଅନ୍ୟ ବେଉସା ବାଛୁଛନ୍ତି । ଆଗ କାଳରେ ଚାଉଳ ମପାହେବା ପାଇଁ ବାଟି, ଖାଇବା ପାଇଁ କଂସାରେ ତିଆରି ତାଟିଆ, ଗିନା, ଥାଳି, ଭାତ ପରଷିବା ପାଇଁ ପରଷୁଣି, ଗ୍ଲାସ୍‌, ପିତ୍ତଳ କଳସୀ ଓ ରାନ୍ଧିବା ପାଇଁ ପିତ୍ତଳ ହାଣ୍ଡି, ପଲମ, ଚଟୁ ଆଦି ତିଆରି କରୁଥିଲେ । ଏହା ବ୍ୟତୀତ କାରିଗର ନିଜ କାରିଗରୀ ସାହାଯ୍ୟରେ କଂସା ଓ ପିତ୍ତଳରେ ସୁନ୍ଦର ସୁନ୍ଦର କୋଟିକମକରା ହାତୀ ଘୋଡ଼ା, ରଥ ଓ ଗହଣା ତିଆରି କରିଥାଆନ୍ତି । ସେହି ଛୋଟ ମୂର୍ତ୍ତି ଏବଂ ବାସନକୁସନ ତିଆରି କରିବା ପାଇଁ ୧୦ରୁ ୧୫ ଦିନ ସମୟ ଲାଗିଥାଏ । ବଡ଼ ଜିନଷ ଯେପରି ମନ୍ଦିର ଓ ଘର ପାଇଁ ଦେବଦେବୀଙ୍କ ମୂର୍ତ୍ତି ତିଆରିକୁ ପ୍ରାୟେ ୨ ମାସ ସମୟ ଲାଗିଥାଏ । ପ୍ରଥମେ ଧାତୁକୁ ପିଟି ତାକୁ ଆକାର ଦିଆଯାଏ ପରେ ଏହାକୁ ତରଳାଇ ଛାଞ୍ଚ ଅନୁଯାୟୀ ଗଢ଼ାଯାଏ । ଏହାପରେ ତାକୁ ଚୂଲା ବା ଭାଟିରେ ପୋଡ଼ାଯାଇଥାଏ । ପରେ ତାକୁ ସେଥିରୁ ବାହାର କରି ଥଣ୍ଡା ହେବା ପାଇଁ ଛଡ଼ାଯାଏ । ଏସବୁ ପ୍ରକ୍ରିୟାରେ ଗଢ଼ାଯାଏ କଂସା ପିତ୍ତଳ ଉପକରଣ ବୋଲି ବୈଷ୍ଣବ ମହାରଣା କହନ୍ତି । ସେହି ରଥିଜେମା ଅଶିଘରସାହିରେ ପ୍ରାୟ ୮୦ ପରିବାର ରୁହନ୍ତି । ଯିଏ କି ଏହି କାରିଗରୀ କରୁଛନ୍ତି । ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣର ସୁବିଧା ମଧ୍ୟ ଦିଆଯାଉଛି । ଏହି କଂସା ପିତ୍ତଳ ତିଆରି କାମ ଆମ ରାଜ୍ୟର ଭୁବନେଶ୍ୱର ବ୍ୟତୀତ କଟକ, ଗଞ୍ଜାମ, ବାଲେଶ୍ୱର, ସମ୍ବଲପୁର ଆଦି ସ୍ଥାନରେ ତିଆରି ହେଉଛି ।


Comments

Popular posts from this blog

ମାତୃଭାଷାରେ ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟ

ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌