ଆମ୍ବୁଲାନ୍ସ ସେବା
ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର -ନାହିଁ ଆମ୍ବୁଲାନ୍ସ ସେବା, ରୋଗୀ ହନ୍ତସନ୍ତ 3-2-2024 ବ୍ରହ୍ମବରଦା: ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି । ଏଠାରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଜନବସତି ରହିଛି । ଅଞ୍ଚଳର ୫ରୁ୬ ପଞ୍ଚାୟତର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଏଠାରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉନାହିଁ । ଫଳରେ ବ୍ରହ୍ମବରଦା ଓ ଏହାର ଆଖପାଖ ଅଞ୍ଚଳର ରୋଗୀ ଜରୁରୀକାଳୀନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଲୋକେ ଘରୋଇ ଗାଡ଼ି ଭଡ଼ାକରି ଚିକିତ୍ସା କେନ୍ଦ୍ରକୁ ଯାଉଛନ୍ତି । ବ୍ରହ୍ମବରଦା ଅଞ୍ଚଳ ଦେଇ ବରୁଆଁବାଲିଚନ୍ଦ୍ରପୁର ମୁଖ୍ୟରାସ୍ତା ଯାଇଛି । ଫଳରେ ପ୍ରତିଦିନି ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହି ସମୟରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ତାହା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସୁଛି । ବ୍ରହ୍ମବରଦାରୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୂରତା ପ୍ରାୟ ୧୮ କିମି ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୨୦ କିମି । ତେଣୁ ଏତେ ଦୂରରୁ ୧୦୮ ଆମ୍ବୁଲାନ୍ସ ଆସି ରୋଗୀ କିମ୍ବା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ନେଇ ପୁଣି ଚିକିତ୍ସା କେନ୍ଦ୍ରକୁ ଫେରିବାରେ ବହୁ ସମୟ ବିତିଯାଉଛି । ଫଳରେ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି...