ଆମ୍ବୁଲାନ୍ସ ସେବା
ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର -ନାହିଁ ଆମ୍ବୁଲାନ୍ସ ସେବା, ରୋଗୀ ହନ୍ତସନ୍ତ
3-2-2024
ବ୍ରହ୍ମବରଦା: ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି । ଏଠାରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଜନବସତି ରହିଛି । ଅଞ୍ଚଳର ୫ରୁ୬ ପଞ୍ଚାୟତର ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ହେଲେ ଏଠାରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉନାହିଁ । ଫଳରେ ବ୍ରହ୍ମବରଦା ଓ ଏହାର ଆଖପାଖ ଅଞ୍ଚଳର ରୋଗୀ ଜରୁରୀକାଳୀନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଲୋକେ ଘରୋଇ ଗାଡ଼ି ଭଡ଼ାକରି ଚିକିତ୍ସା କେନ୍ଦ୍ରକୁ ଯାଉଛନ୍ତି । ବ୍ରହ୍ମବରଦା ଅଞ୍ଚଳ ଦେଇ ବରୁଆଁବାଲିଚନ୍ଦ୍ରପୁର ମୁଖ୍ୟରାସ୍ତା ଯାଇଛି । ଫଳରେ ପ୍ରତିଦିନି ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହି ସମୟରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ତାହା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସୁଛି । ବ୍ରହ୍ମବରଦାରୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦୂରତା ପ୍ରାୟ ୧୮ କିମି ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୨୦ କିମି । ତେଣୁ ଏତେ ଦୂରରୁ ୧୦୮ ଆମ୍ବୁଲାନ୍ସ ଆସି ରୋଗୀ କିମ୍ବା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ନେଇ ପୁଣି ଚିକିତ୍ସା କେନ୍ଦ୍ରକୁ ଫେରିବାରେ ବହୁ ସମୟ ବିତିଯାଉଛି । ଫଳରେ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି । ଏପରି ଘଟଣା ବ୍ରହ୍ମବରଦା ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ବସିଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମିର୍ଜା ମଜହୁର ହୁସେନଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କ ଉଦ୍ୟମରେ ଏଠାରେ ଆମ୍ବୁଲାନ୍ସ ସେବା ୨୦୧୧ରେ ଯୋଗାଇ ଦିଆଯାଇଥିଲା । ୨୦୧୫ ବେଳକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତାହାକୁ ଅପସରଣ କରି ନିଆଯାଇଥିଲା । ସେହିଦିନଠାରୁ ଏଠାରେ ଆଉ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇନାହିଁ । ତେଣୁ ଏଠାରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଳବ୍ଧ କରାଇବାକୁ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇପାରିଲେ ବହୁ ମୂଲ୍ୟବାନ ଜୀବନ ବାନ ବଞ୍ଚି ଯାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।
Comments
Post a Comment